• rnsharma65 25w

    *ମୋ ଗାଁ*

    ଜନ୍ମଦାତ୍ରୀ ମାଆ ଜନ୍ମଭୂମି ଗାଆଁ
    ଦିଅନ୍ତି ଜୀବନ ରାହା
    ଧଇର୍ଯ୍ୟ ଧାରିଣୀ ରକତ ଦାୟିନୀ
    ହୁଅନ୍ତି ସର୍ବଦା ସାହା ।।

    ସରଗ ସମାନ ଟିକି ମୋର ଗାଁ ଟି
    ଗଦାଧରପୁର ନାଁ ଟି
    କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର
    ପଞ୍ଚାୟତ ଏକ ଗୋଟି ।।

    ଟିକି ମୋର ଗାଁ ଟି ଭେଦଭାବ ନାହିଁଟି
    ମିଳିମିଶି ରହନ୍ତି
    ସୁଖ ଦୁଃଖ ବାଣ୍ଟି ଶାନ୍ତି ମୈତ୍ରୀ ସାଥୀ
    ମୋ ଗ୍ରାମବାସୀ ସର୍ବେଟି ।।

    ଧରମ ଚେତନା ବିଶିଷ୍ଟ ଏହି ଗାଁ
    ପୁନେଇଁ ପରବ ପାଳି
    ଲକ୍ଷ୍ମୀ ପୂଜା ସହ ମହା ଶିବରାତ୍ରି
    ରଜରେ ଖେଳନ୍ତି ଦୋଳି ।।

    ଭାଗବତ ପାଠ ଭାଗବତ ଜନ୍ମେ
    ହେଉଅଛି ପ୍ରତିବର୍ଷ
    ରଙ୍ଗର ପରବେ ରଙ୍ଗ ଖେଳି ସର୍ବେ
    ଭ୍ରାତୃତ୍ଵ ବଢ଼ାନ୍ତି ହର୍ଷ ।।

    ଗାଆଁ ଆମ୍ବ ତୋଟା ବାଣ୍ଟଇ ପୀୟୂଷ
    ବରଷ ତମାମ ତହିଁ
    ତାହାରି ଛାଇରେ ତାସ୍ ଓ କବାଡି
    ମନକୁ ଦିଅଇ ମୋହି ।।

    ସ୍ରୋତସ୍ଵିନୀ ଏକ କୁକୁରକଟା ଯେ
    ପଶ୍ଚିମେ ବହଇ ନାଦେ
    ପୂରୁବେ ନାଳଟେ ବହି ଯାଇ କରି
    ମିଶିଛି ତାହାରି ସାଥେ ।।

    ଅକ୍ଷୟ ତୃତୀୟା ପର ଶନିବାରେ
    ଶନିଶ୍ଚର ଯଜ୍ଞ ହୁଏ
    ପ୍ରତି ଗୁରୁବାରେ ରାଜପଥ ପାର୍ଶ୍ବେ
    ସାପ୍ତାହିକ ହାଟ ବସେ ।

    ବ୍ୟାଙ୍କ ଡାକଘର ଗ୍ରାମ ପଞ୍ଚାୟତ
    ପ୍ରାଥମିକ ବିଦ୍ୟାଳୟ
    ଅଛି, ଗୁରୁକୁଳେ ଇଂରାଜୀ ଓଡ଼ିଆ
    ବି.ଇଡି. ଦେଇଣ ଦେୟ ।।

    ଗ୍ରାମ ରେ ଶିକ୍ଷିତ ଅଟନ୍ତି ବହୁତ
    ଗ୍ରାମ ଉନ୍ନୟନେ ଧ୍ୟାନ
    ପଞ୍ଚାୟତ କାମ ମିଳିମିଶି କରି
    ରଖନ୍ତି ମାଟି ସମ୍ମାନ ।।

    ମୋ ଗାଆଁ ସଦୃଶ ଗାଁ ଦେଖିନାହିଁ
    ଶାନ୍ତି ମୈତ୍ରୀ ଭାଇଚାରାର
    ତାହାରି ବିକାଶେ ସର୍ବେ ଏକ ହୋଇ
    ଧ୍ୟାନ ଦେବା କର୍ତ୍ତବ୍ୟର ।।

    ରାମନାରାୟଣ ଶର୍ମା
    ଗଦାଧରପୁର ଘଟଗାଁ କେନ୍ଦୁଝର
    ©rnsharma65