• rnsharma65 23w

    *ବେଳୁ ହୁଅ ସାବଧାନ*


    ଯାତ୍ରା ଦୁନିଆର ଅଟେ କଳାକାର
    କ୍ଷଣିକ ମୋ ଅଭିନୟ
    ପରିଶ୍ରମ ମୋର ଅନେକ ଦିନର
    ହେବାକୁ ଯେ ଲୋକପ୍ରିୟ ।।

    ଛୋଟ ଚରିତ୍ରରେ ଆନନ୍ଦ ବାଣ୍ଟିରେ
    ହେଲି ପ୍ରଶଂସିତ ବହୁ
    ଶ୍ରେଷ୍ଠ ଭୂମିକାରେ ଅଫର ମିଳେରେ
    ଯାତରା ମାଲିକ ତହୁଁ ।।

    ସାଧନା ର ବଳେ ବହୁ ଖେଳ ଖେଳେ
    ମଞ୍ଚ କମ୍ପେ ହାସ୍ୟରୋଳେ
    କେବେ ବି ବିକଳେ କାନ୍ଦନ୍ତି ସକଳେ
    ଶିକ୍ଷା ଦିଏ କେତେବେଳେ ।।

    ଅଭିନୟ ଶେଷେ କହନ୍ତି ହରଷେ
    କି ସୁନ୍ଦର ଫୁଟାଇଲ
    ଅଭିନେତା ତୋଷେ ଜନତା ବିଶେଷେ
    ବଚନେ ଦେଇଣ ବଳ ।।

    ମାନବ ଜୀବନ ନାୟକ ସମାନ
    ଜିଣିବାକୁ ଜନ ମନ
    ଆଚାର ବିଚାର ବାଣୀ ବ୍ୟବହାର
    ଆପେ ଆଣିଦିଏ ମାନ ।।

    ଜନମି ନାହାଁନ୍ତି କରିଣ ବସତି
    ଧରାପୃଷ୍ଠେ ଥିବା ସଦା
    କେହିବି ନାହାଁନ୍ତି ସର୍ବେ ଯାଇଛନ୍ତି
    କାଳକୁ କେ ଦେବ ବାଧା ।।

    ଗାନ୍ଧୀ ଗୋପବନ୍ଧୁ ଅତି ପ୍ରିୟ ବନ୍ଧୁ
    ଜନମକୁ ଦେଇ ମୂଲ୍ୟ
    ହେଲେ ଦୁଃଖ ବନ୍ଧୁ ଲଂଘିବା ଯେ ସିନ୍ଧୁ
    ଜୀବନ ହେବ ଅମୂଲ୍ୟ ।।

    କ୍ଷଣିକ ସମୟ କରି ଉପାଦେୟ
    ମର୍ତ୍ତ୍ୟରୁ ନେବା ବିଦାୟ
    ଷଡ଼ ରିପୁ ଲୟ କରିବ ବିଲୟ
    ନହେବେ କେହି ସହାୟ ।।

    କରମଟି ଏକା ଅଟଇ ଯେ ସଖା
    ଆଉ ସବୁ ଦୁଇ ଦିନ
    ସ୍ଵାର୍ଥ ଶେଷେ ଧୋକା କରଯେ ପରୀକ୍ଷା
    ବେଳୁ ହୁଅ ସାବଧାନ ।

    ରାମନାରାୟଣ ଶର୍ମା

    ©rnsharma65