• ray_madhusmita 37w

    ଏନ୍ତୁଡ଼ି ଶାଳରୁ ଅଦ୍ୟାବଧି ଯାହାଅଛି ମନେ
    ହିଂସା,ଦ୍ୱେଷ,ଖଳବୁଦ୍ଧି, ନିନ୍ଦା ପରଜନେ
    ଏହିଶିକ୍ଷା ଦେଇନାହଁ କଦାପି ଜୀବନେ
    ତଥାପି କଷଣ ମୋତେ କାହିଁକି ଜାବୁଡ଼େ
    କାହିଁକି କେଜାଣି
    ବାପା! ତୁମ କଥା ଆଜି ଭାରି ମନେପଡ଼େ...

    ସ୍ମିତହାସ୍ୟ, ମିଷ୍ଠ ଭାଷ ,ନିଃଛନ୍ଦ ଜୀବନ
    ପାଳିଛି ଏ ବ୍ରତ ସଦା ହୋଇ ଏକମନ
    ଅପରଠୁ କରିନାହିଁ ଆଶ ପ୍ରତିଦାନେ
    ଭାଗ୍ୟକୁ ଆଦରି ଆଜି ନିରତେ ମୁଁ ସଢ଼େ
    କାହିଁକି କେଜାଣି
    ବାପା! ତୁମ କଥା ଆଜି ଭାରି ମନେପଡ଼େ...

    ଲୋଡ଼ାନାହିଁ ଧନ ଜନ ପଦ କି ପଦକ
    ଶୁଣିବାକୁ ଇଚ୍ଛାତବ ସ୍ନେହବୋଳା ଡାକ
    ଶିଶୁ ହୋଇ ମଣ୍ଡିବାକୁ ତବ ଅଙ୍କ ସ୍ୱର୍ଗସମ
    ଡାକିବାକୁ ବାପା ବାପା ସ୍ରୁତିସୁଧା ନାମ
    ଧରିବାକୁ ହସ୍ତେ ହସ୍ତ ଅନନ୍ତ ପ୍ରଗାଢ଼େ
    କାହିଁକି କେଜାଣି
    ବାପା! ତୁମକଥା ଆଜି ଭାରି ମନେପଡ଼େ...

    କାହାଣୀର ଆରମ୍ଭରୁ ଶେଷ ପରିଯନ୍ତ
    ତ୍ୟାଗ,ତ୍ୟାଗ,ତ୍ୟାଗ ତୁମ୍ଭ ତ୍ୟାଗ ଅସମାପ୍ତ
    ପ୍ରଚ଼ଣ୍ଡ ଧୈର୍ଯ୍ୟର ଯେଉଁ ଦିବ୍ୟ ଅବତାର
    ଅସମର୍ଥ ବର୍ଣିବାକୁ ଲେଖନୀର ଧାର
    ସନ୍ତାନ ସମର୍ଥ ଅର୍ଥେ ସ୍ୱେଦ,ଲହୁ ତୁମଠୁ ନିଗିଡ଼େ
    କାହିଁକି କେଜାଣି
    ବାପା! ତୁମକଥା ଆଜି ବେଶି ମନେପଡ଼େ...
    ©ray_madhusmita