rnsharma65

It is better not to follow, if like to follow please don't unfollow. Please don't mind at the time of resetting. DOB 19/04/1965

Grid View
List View
Reposts
  • rnsharma65 4w

    *ଶୈଶବ*

    ଅଢ଼େଇ ବର୍ଷର ନାତୁଣୀ ମୋହର
    ଅଟଇ ଭାରି ଚତୁର
    ହସରେ ତାହାର ମୋହିନୀ ମନ୍ତର
    କାନ୍ଦିଲେ ବହଇ ଝର ।।

    ବୁଲିବାକୁ ତା'ର ମନ ଛନଛନ
    କଥାରେ ନଥାଏ ବ୍ରେକ୍
    ଖାଇବା ସମୟେ ଓଟାର ଆସଇ
    ଖାଦ୍ୟରେ ଦେବାକୁ ଚେକ୍ ।।

    ସବୁ ଦରବରେ ଥାଏଟି ନଜର
    କ୍ଷଣକେ ଫିଙ୍ଗଇ ଦୂରେ
    ଯେତେ ରାଗ ରୋଷ ମୌଜ ମଜଲିସ୍
    ଅଜା ଦେହେ ସିଏ ସାରେ ।।

  • rnsharma65 14w

    *ରାକ୍ଷୀ ଅଟେ ସାକ୍ଷୀ*

    ଭାଇ ଭଉଣୀ ଙ୍କ ପ୍ରେମ ନିଦର୍ଶନ
    ଅଟଇ ରାକ୍ଷୀ ପୂର୍ଣ୍ଣିମା
    ଅବଳା ଭଗିନୀ ରାକ୍ଷୀ ର ବନ୍ଧନ
    ଭାଇ ବୀରତ୍ୱ ମହିମା ।।

    ଆପଦ ବିପଦ ଜୀବନରେ ଯେତେ
    ଭଉଣୀ ସମ୍ମୁଖେ ଦେଖା
    ନିଜ ଜୀବନର ପ୍ରତିଦାନେ ଭାଇ
    କରଇ ତାହାକୁ ରକ୍ଷା ।।

    କୃଷ୍ଣା ବାସ ଚିରି କୃଷ୍ଣ ହାତେ ବାନ୍ଧି
    ପାଳିଲେ ଭଗ୍ନୀ ଧରମ
    କୁରୁ ସଭା ତଳେ କୋଟି ବସ୍ତ୍ର ଦେଇ
    ମହତ ରଖିଲେ ଦାମ ।।

    ସୁଭଦ୍ରା ଭଉଣୀ ଜଗା ବଳରାମ
    ହସ୍ତରେ ବାନ୍ଧନ୍ତି ରାକ୍ଷୀ
    ରତନ ମଣ୍ଡପେ ଭଗ୍ନୀ ସାଥେ ଛନ୍ତି
    ସାରା ଜଗତଯେ ସାକ୍ଷୀ ।।

    ଏବେତ ଭାରତେ ରକ୍ଷା ବନ୍ଧନଟା
    ସ୍ଥାନେ ସ୍ଥାନେ ବ୍ୟବସାୟ
    ନିଜ ଭାଇ ହାତ ପଛେ ରିକ୍ତ ହେଉ
    ଧରମ ଭାଇରେ ଲୟ ।।

    ଧରମ ଅଟଇ ସାକ୍ଷାତ ଈଶ୍ୱର
    ବୁଝୁଛନ୍ତି ଏବେ କିଏ
    ସ୍ଵାର୍ଥ ସିଦ୍ଧି ପାଇଁ ବାପ ଭାଇ ଭୁଲି
    ଇଜ୍ଜତ ବିକିଣ ଦିଏ ।।

    ରଖ ନିବେଦନ ଭାଇ ଓ ଭଉଣୀ
    ପବିତ୍ର ରକ୍ଷା ବନ୍ଧନେ
    କ୍ଷଣିକ ସ୍ଵାର୍ଥକୁ ଭୁଲି ଯାଇ ସର୍ବେ
    କର୍ତ୍ତବ୍ୟ ପାଳ ଯତନେ ।।

    ରାମନାରାୟଣ ଶର୍ମା

  • rnsharma65 15w

    *ଶୁଣିବ ମୋର ଗୁହାରି*

    ଆହେ ଦୟାମୟ ନୀଳାଚଳ ନାଥ
    ଜଗତ ପାଳକ ହରି
    ହୋଇବ ସଦୟ ପ୍ରଭୁ ଜଗନ୍ନାଥ
    ଶୁଣିବ ମୋର ଗୁହାରି ।।

    ଜାତି ଧର୍ମ ବର୍ଣ୍ଣ ଉଚ୍ଚ ନୀଚ ଭେଦ
    ତବ ପାଶେ ନାହିଁ ହରି
    ନର ପଶୁ ପକ୍ଷୀ କୀଟ ତରୁ ଲତା
    ସର୍ଜନା ସବୁ ତୁମ୍ଭରି ।।

    ଧର୍ମ ର ପାଳକ ଅଧର୍ମ ନାଶକ
    ତୁମେ ପ୍ରଭୁ ଦଇତାରୀ
    ମତ୍ସ୍ୟ କୂର୍ମ ଆଦି ନେଇ ଅବତାର
    ସୃଷ୍ଟି ରଖ ନରହରି ।।

    ଭକ୍ତକୁ ସହାୟ ହୋଇଅଛ ପ୍ରଭୁ
    ଅଛି କିମ୍ବଦନ୍ତୀ କେତେ
    ପୁରୁଷୋତ୍ତମ କୁ ସାହା ହେଲ ବିଭୁ
    ନଡ଼ିଆ ଯେ ନେଲ ହାତେ ।।

    ଭକ୍ତ ଲାଗି କେବେ ନନ୍ଦିଘୋଷ ରହେ
    ମାଡ଼ ଖାଇଅଛ କେତେ
    ସୁବର୍ଣ୍ଣ ଥାଳିରେ ପ୍ରସାଦ ଦେଇଛ
    କ୍ଷୁଧା ନିବାରଣ ଅର୍ଥେ ।।

    ଭକ୍ତି କଣିକାଏ ଆଶା ଯେ ତୁମର
    ଚାଲିଯାଅ ଭକ୍ତ ଦ୍ଵାର
    ଅମାପ ସମ୍ପତ୍ତି ଗର୍ବ ଅହଙ୍କାରେ
    ଠେଲି ଦିଅ କରି ପର ।।

    ମାଗୁନି ତୁମକୁ ଆହେ ଦୀନନାଥ
    ଧନ ଜନ ଗୋପଲକ୍ଷ୍ମୀ
    ଯେତେ କଷ୍ଟ ଦବ ସହିବି ସମସ୍ତ
    ଭିକ୍ଷା ଖାଲି ଶାନ୍ତି ରଶ୍ମୀ ।।

    ରାମନାରାୟଣ ଶର୍ମା
    ©rnsharma65

  • rnsharma65 16w

    *ଜୟ ମା ତାରିଣୀ*

    ଜୟ ମା ତାରିଣୀ ମହୀଷାମର୍ଦ୍ଦିନୀ
    ମାଆ ଦୁର୍ଗତିନାଶିନୀ
    ଜୟ ମା ଶିବାନୀ ଜୟ ମା ଭବାନୀ
    ମାଆ ଘଟଗାଁ ବାସିନୀ ।।

    ଜୟ ମା ଶାରଳା ଜୟ ମା ବିମଳା
    ମାଆ ଜଗତ ପାଳିନୀ
    ଜୟ ମା ହିଙ୍ଗୁଳା ଜୟ ମା ମଙ୍ଗଳା
    ମାଆ ଐଶ୍ୱର୍ଯ୍ୟ ଶାଳିନୀ ।।

    ବୁଦ୍ଧି ପ୍ରଦାୟିନୀ ମା ପଡ଼ି ଦାୟିନୀ
    ଭକ୍ତ ଦୁଃଖ ନିବାରିଣୀ
    ଘେନ ମୋ ଦୟିନୀ ଜଗତ ଭାଳେଣି
    ଦୂର କର ଠାକୁରାଣୀ ।।


    ରାମନାରାୟଣ ଶର୍ମା
    ©rnsharma65

  • rnsharma65 16w

    *ଜୟ ଜୟ ଶିବଶଙ୍କର*

    ଜୟ ଜୟ ଶିବଶଙ୍କର ପିନାକୀଧର
    ଜୟ ଜୟ ମହେଶ୍ୱର ହେ କେଦାରେଶ୍ୱର
    ଜୟ ଜୟ ଗଙ୍ଗାଧର ହେ ଚନ୍ଦ୍ରଶେଖର
    ଜୟ ଜୟ ରାମେଶ୍ବର ହେ ଧବଳେଶ୍ଵର
    ଜୟ ଜୟ ଝାଡ଼େଶ୍ଵର ଆଖଣ୍ଡଳେଶ୍ଵର
    ଜୟ ଜୟ ବାଣେଶ୍ୱର ପଞ୍ଚଲିଙ୍ଗେଶ୍ଵର
    ଜୟ ଜୟ ବ୍ରହ୍ମେଶ୍ଵର ହେ ଉତ୍ତରେଶ୍ଵର
    ଜୟ ଜୟ ଶୈଳେଶ୍ଵର ନୀଳକଣ୍ଠେଶ୍ଵର
    ଜୟ ଜୟ ଲଡ଼ୁକେଶ୍ଵର ବାଲୁଙ୍କେଶ୍ୱର
    ଜୟ ଜୟ ଭୂତେଶ୍ଵର ସେ କୁଶଳେଶ୍ଵର
    ଶ୍ରାବଣ ମାସର ଆଜି ଅଟେ ସୋମବାର
    ଭକ୍ତି ଅର୍ଘ୍ୟେ ପୂଜଇ ଶିବ ଶିବା ପୟର
    ନଧରିବ ହେ ଉମାକାନ୍ତ ଦୋଷ ମୋହର
    ମାଗୁଛି ରେଣୁଏ ମାତ୍ର କରୁଣା ତୁମ୍ଭର
    ସାରା ସଂସାର ରେ ପଡ଼ିଅଛି ହାହାକାର
    ଘୋର ସଙ୍କଟରୁ ଉଦ୍ଧାର ହେ ତ୍ରିଶୂଳଧର ।।


    ରାମନାରାୟଣ ଶର୍ମା
    ©rnsharma65

  • rnsharma65 16w

    *ବେଳୁ ହୁଅ ସାବଧାନ*


    ଯାତ୍ରା ଦୁନିଆର ଅଟେ କଳାକାର
    କ୍ଷଣିକ ମୋ ଅଭିନୟ
    ପରିଶ୍ରମ ମୋର ଅନେକ ଦିନର
    ହେବାକୁ ଯେ ଲୋକପ୍ରିୟ ।।

    ଛୋଟ ଚରିତ୍ରରେ ଆନନ୍ଦ ବାଣ୍ଟିରେ
    ହେଲି ପ୍ରଶଂସିତ ବହୁ
    ଶ୍ରେଷ୍ଠ ଭୂମିକାରେ ଅଫର ମିଳେରେ
    ଯାତରା ମାଲିକ ତହୁଁ ।।

    ସାଧନା ର ବଳେ ବହୁ ଖେଳ ଖେଳେ
    ମଞ୍ଚ କମ୍ପେ ହାସ୍ୟରୋଳେ
    କେବେ ବି ବିକଳେ କାନ୍ଦନ୍ତି ସକଳେ
    ଶିକ୍ଷା ଦିଏ କେତେବେଳେ ।।

    ଅଭିନୟ ଶେଷେ କହନ୍ତି ହରଷେ
    କି ସୁନ୍ଦର ଫୁଟାଇଲ
    ଅଭିନେତା ତୋଷେ ଜନତା ବିଶେଷେ
    ବଚନେ ଦେଇଣ ବଳ ।।

    ମାନବ ଜୀବନ ନାୟକ ସମାନ
    ଜିଣିବାକୁ ଜନ ମନ
    ଆଚାର ବିଚାର ବାଣୀ ବ୍ୟବହାର
    ଆପେ ଆଣିଦିଏ ମାନ ।।

    ଜନମି ନାହାଁନ୍ତି କରିଣ ବସତି
    ଧରାପୃଷ୍ଠେ ଥିବା ସଦା
    କେହିବି ନାହାଁନ୍ତି ସର୍ବେ ଯାଇଛନ୍ତି
    କାଳକୁ କେ ଦେବ ବାଧା ।।

    ଗାନ୍ଧୀ ଗୋପବନ୍ଧୁ ଅତି ପ୍ରିୟ ବନ୍ଧୁ
    ଜନମକୁ ଦେଇ ମୂଲ୍ୟ
    ହେଲେ ଦୁଃଖ ବନ୍ଧୁ ଲଂଘିବା ଯେ ସିନ୍ଧୁ
    ଜୀବନ ହେବ ଅମୂଲ୍ୟ ।।

    କ୍ଷଣିକ ସମୟ କରି ଉପାଦେୟ
    ମର୍ତ୍ତ୍ୟରୁ ନେବା ବିଦାୟ
    ଷଡ଼ ରିପୁ ଲୟ କରିବ ବିଲୟ
    ନହେବେ କେହି ସହାୟ ।।

    କରମଟି ଏକା ଅଟଇ ଯେ ସଖା
    ଆଉ ସବୁ ଦୁଇ ଦିନ
    ସ୍ଵାର୍ଥ ଶେଷେ ଧୋକା କରଯେ ପରୀକ୍ଷା
    ବେଳୁ ହୁଅ ସାବଧାନ ।

    ରାମନାରାୟଣ ଶର୍ମା

    ©rnsharma65

  • rnsharma65 17w

    *ମା*

    ମମତାମୟୀ ମା ବାତ୍ସଲ୍ୟମୟୀ ମା
    ମାଆ ପରି କିଏ ସାହା
    ରକତ ନିଗାଡି଼ ଜୀବନ ଉଜାଡି଼
    ଚାଲିବାକୁ ଦିଏ ରାହା ।।

    ସରଗଠୁ ବଡ଼ ଧରମରୁ ବଡ଼
    ଜନମ ଦାୟିନୀ ମାଆ
    ଅଳି ଅରଦଳି ସହି ସୁଧା ବୋଳି
    ଜଗତେ ଦେଇଛି ନାଆଁ ।।

    ମୋହରି ହିତରେ ନରକ ହାତରେ
    ହୋଇଅଛି କେତେ ବୋଳି
    ଖୁଆଇ ଦେବାକୁ ଫେରିବା ବାଟକୁ
    ବସିଥାଏ ହୃଦ ଖୋଲି ।।

    ଭାଇ ବନ୍ଧୁ ସୁତ ଭାରିଯା ସହିତ
    ସ୍ଵାର୍ଥରେ ଥାଆନ୍ତି ରତ
    ମାଆ କାନ୍ଦୁଥାଏ ବିକଳ ପରାଏ
    ମନାସୀ ମୋହର ହିତ ।।

    ଜନ୍ମଦାତ୍ରୀ ମାଆ ଜନ୍ମଭୂମି ମାଆ
    ପାଳିଅଛି ଯେଉଁ ମାଆ
    ସଭିଙ୍କ ପୟରେ ନମଇଁ ଭକ୍ତିରେ
    ରଖିବି ତାଙ୍କର ନାଆଁ ।।

    ରାମନାରାୟଣ ଶର୍ମା
    ଗଦାଧରପୁର ଘଟଗାଁ କେନ୍ଦୁଝର
    ©rnsharma65

  • rnsharma65 17w

    *ଜନ୍ମଦିନ ଅଳି*

    ଅଠାବନ ଗୋଟି ଶ୍ରାବଣ ଅତୀତ
    ଅଣଷଠି କଲା ସ୍ପର୍ଶ
    ଆହେ ଚକାଡୋଳା ଘେନ ପ୍ରଣିପାତ
    କରଇ ଚରଣ ସ୍ପର୍ଶ ।।

    ଆଶୀଷ ଲୋଡ଼ଇ ଆହେ ମହାବାହୁ
    ସାହିତ୍ୟ ସାଧନା ପଥେ
    ରଚନାରେ ରତ ପାଣି ମୋର ରହୁ
    ନାମ ତବ ରହୁ ଚିତ୍ତେ ।।

    ଜଗତ ଜନନୀ ପତିତପାବିନୀ
    ମା ତାରିଣୀ ଠାକୁରାଣୀ
    ନମଇଁ ପୟରେ ହୃଦ ପଦ୍ମେ ଗୁଣି
    କରୁଣା ରେଣୁ ମାଗୁଣି ।।

    ପ୍ରଣାମ ଘେନ ହେ ବୈକୁଣ୍ଠ ନିବାସୀ
    ମାତାମହ ମାତାମହୀ
    କେତେ ଯତ୍ନ କରି ପାଳିଥିଲ ମୋତେ
    ଦୁଃଖ ଅପ୍ରମିତ ସହି ।।

    ପିଅର ଜନନୀ ପୟରେ ପ୍ରଣାମ
    ସାଦରେ କର ଆଶୀଷ
    ଶାଶୁ ଶ୍ୱଶୁରଙ୍କୁ ଭକ୍ତିରେ ନମଇଁ
    କଲ୍ୟାଣ ଇଚ୍ଛି ବିଶେଷ ।।

    ଘରଣୀ ମୋହର ଅତି ସାଧାରଣ
    ନପାରଇ ବାଟଚାଲି
    ଶରଧା ସୁମନ କରିବ ଗ୍ରହଣ
    ମୁଖେ ଥାଅ ସୁଧା ବୋଳି ।।

    ଝିଅ ଜ୍ବାଇଁ ସହ ନାତୁଣୀ ବି ମୋର
    ରହିଥାନ୍ତୁ ସଦା ସୁଖେ
    ମୋ କୁମର ଧନ ସେବା ଧର୍ମେ ବର
    ହସ ଦେଉ ଦୁଃଖୀ ମୁଖେ ।।

    ସାଙ୍ଗ ସାଥି ଆଉ ବନ୍ଧୁ ପରିଜନ
    ସମସ୍ତଙ୍କୁ କରେ ମାନ୍ୟ
    ଦୀର୍ଘଜୀବି ହୋଇ ସୁଖରେ ରହନ୍ତୁ
    ଦୟାକର ଦୟାମୟ ।।

    ରାମନାରାୟଣ ଶର୍ମା
    ଗଦାଧରପୁର ଘଟଗାଁ କେନ୍ଦୁଝର
    ©rnsharma65

  • rnsharma65 17w

    *ସକଳ ପ୍ରଣତି ଘେନ ମହାବାହୁ*

    ନିଳାଚଳ ନାଥ ଆହେ ଜଗନ୍ନାଥ
    ଗୁହାରି କରୁ ପୟରେ
    ସକଳ ପ୍ରଣତି ଘେନ ମହାବାହୁ
    ଡାକୁଅଛୁ ବିନୟରେ ।।

    ମିଥ୍ୟା ପ୍ରବଞ୍ଚନା ତୋଷାରପାତ ଯେ
    ବଢ଼ୁଅଛି ଦିନୁଁ ଦିନ
    କଲ୍ୟାଣ ନାମରେ ଜହର ମିଳାଇ
    ନିଅନ୍ତି ପ୍ରାଣୀ ଜୀବନ ।।

    ଅଜଣା ରୋଗର ସଂକ୍ରମଣେ ଆଜି
    ବିଶ୍ଵ ହୁଏ ଥରହର
    ଅବିଶ୍ବାସ ଆଉ ପ୍ରତାରଣା ବଳେ
    ଚକ୍ଷୁରୁ ଗଡ଼ଇ ନୀର ।।

    ଶାଶୁ ବୋହୂ କଳି ବାପପୁଅ ବାଦ
    ଦେଖାଯାଏ ଘରେ ଘରେ
    ବୃଦ୍ଧ ମାତା ପିତା ନିରାଶ୍ରୟ ହୋଇ
    ରହନ୍ତି ବୃଦ୍ଧାଶ୍ରମରେ ।।

    ଦ୍ରୌପଦୀ ରଖିଲ ଅହଲ୍ୟା ତାରିଲ
    ବୃନ୍ଦାବତୀ ହେଲେ ସତୀ
    ଧୃବ ପ୍ରହଲ୍ଲାଦେ ଆଶୀର୍ବାଦ ଦେଲ
    ଦୂର କରି ଦୈତ୍ୟ ଭୀତି ।।

    ଅସମୟେ ଆଜି ଡାକୁଅଛୁ ପ୍ରଭୁ
    ଭକ୍ତି ପୁଷ୍ପାଞ୍ଜଳି ଦେଇ
    ସକଳ ପ୍ରଣତି ଘେନ ମହାବାହୁ
    ବିପଦ ଦିଅ ଏଡ଼ାଇ ।।

    ରାମନାରାୟଣ ଶର୍ମା
    ପ୍ରତିଷ୍ଠାତା
    *ମା ତାରିଣୀ ସାହିତ୍ୟ ସଂସଦ ଗଦାଧରପୁର ଘଟଗାଁ କେନ୍ଦୁଝର*
    ©rnsharma65

  • rnsharma65 17w

    *ମୋ ଗାଁ*

    ଜନ୍ମଦାତ୍ରୀ ମାଆ ଜନ୍ମଭୂମି ଗାଆଁ
    ଦିଅନ୍ତି ଜୀବନ ରାହା
    ଧଇର୍ଯ୍ୟ ଧାରିଣୀ ରକତ ଦାୟିନୀ
    ହୁଅନ୍ତି ସର୍ବଦା ସାହା ।।

    ସରଗ ସମାନ ଟିକି ମୋର ଗାଁ ଟି
    ଗଦାଧରପୁର ନାଁ ଟି
    କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର
    ପଞ୍ଚାୟତ ଏକ ଗୋଟି ।।

    ଟିକି ମୋର ଗାଁ ଟି ଭେଦଭାବ ନାହିଁଟି
    ମିଳିମିଶି ରହନ୍ତି
    ସୁଖ ଦୁଃଖ ବାଣ୍ଟି ଶାନ୍ତି ମୈତ୍ରୀ ସାଥୀ
    ମୋ ଗ୍ରାମବାସୀ ସର୍ବେଟି ।।

    ଧରମ ଚେତନା ବିଶିଷ୍ଟ ଏହି ଗାଁ
    ପୁନେଇଁ ପରବ ପାଳି
    ଲକ୍ଷ୍ମୀ ପୂଜା ସହ ମହା ଶିବରାତ୍ରି
    ରଜରେ ଖେଳନ୍ତି ଦୋଳି ।।

    ଭାଗବତ ପାଠ ଭାଗବତ ଜନ୍ମେ
    ହେଉଅଛି ପ୍ରତିବର୍ଷ
    ରଙ୍ଗର ପରବେ ରଙ୍ଗ ଖେଳି ସର୍ବେ
    ଭ୍ରାତୃତ୍ଵ ବଢ଼ାନ୍ତି ହର୍ଷ ।।

    ଗାଆଁ ଆମ୍ବ ତୋଟା ବାଣ୍ଟଇ ପୀୟୂଷ
    ବରଷ ତମାମ ତହିଁ
    ତାହାରି ଛାଇରେ ତାସ୍ ଓ କବାଡି
    ମନକୁ ଦିଅଇ ମୋହି ।।

    ସ୍ରୋତସ୍ଵିନୀ ଏକ କୁକୁରକଟା ଯେ
    ପଶ୍ଚିମେ ବହଇ ନାଦେ
    ପୂରୁବେ ନାଳଟେ ବହି ଯାଇ କରି
    ମିଶିଛି ତାହାରି ସାଥେ ।।

    ଅକ୍ଷୟ ତୃତୀୟା ପର ଶନିବାରେ
    ଶନିଶ୍ଚର ଯଜ୍ଞ ହୁଏ
    ପ୍ରତି ଗୁରୁବାରେ ରାଜପଥ ପାର୍ଶ୍ବେ
    ସାପ୍ତାହିକ ହାଟ ବସେ ।

    ବ୍ୟାଙ୍କ ଡାକଘର ଗ୍ରାମ ପଞ୍ଚାୟତ
    ପ୍ରାଥମିକ ବିଦ୍ୟାଳୟ
    ଅଛି, ଗୁରୁକୁଳେ ଇଂରାଜୀ ଓଡ଼ିଆ
    ବି.ଇଡି. ଦେଇଣ ଦେୟ ।।

    ଗ୍ରାମ ରେ ଶିକ୍ଷିତ ଅଟନ୍ତି ବହୁତ
    ଗ୍ରାମ ଉନ୍ନୟନେ ଧ୍ୟାନ
    ପଞ୍ଚାୟତ କାମ ମିଳିମିଶି କରି
    ରଖନ୍ତି ମାଟି ସମ୍ମାନ ।।

    ମୋ ଗାଆଁ ସଦୃଶ ଗାଁ ଦେଖିନାହିଁ
    ଶାନ୍ତି ମୈତ୍ରୀ ଭାଇଚାରାର
    ତାହାରି ବିକାଶେ ସର୍ବେ ଏକ ହୋଇ
    ଧ୍ୟାନ ଦେବା କର୍ତ୍ତବ୍ୟର ।।

    ରାମନାରାୟଣ ଶର୍ମା
    ଗଦାଧରପୁର ଘଟଗାଁ କେନ୍ଦୁଝର
    ©rnsharma65